Featured post

Socrates: The Man Who Taught Humanity to Think (part-5 )

  Part 5 — The Trial of Socrates: When Truth Stood Before the Court There are moments in history when a person is remembered not because they won a battle, ruled an empire, or accumulated wealth, but because they refused to betray what they believed was true. The trial of Socrates was one such moment. In 399 BCE, an elderly Athenian philosopher stood before a jury of his fellow citizens. He was not a military commander. He had no army behind him. He was not a wealthy politician with powerful friends. He was simply Socrates—a man who had spent his life asking questions. And now Athens was asking a question of its own: Should Socrates live or die? His answer would become one of the most remarkable examples of intellectual courage in human history. The Man Who Became a Problem for Athens To understand Socrates' trial, we must first understand why he had become controversial. Socrates did not establish a school in the traditional sense. He did not write books. He did not charg...

କେବଡି ଗାଁ ର ଇତିହାସ

 କେବଡ଼ି ଗ୍ରାମର ନାମକରଣ, ଏହି ଗ୍ରାମର ପ୍ରତିଷ୍ଠା ଓ ପ୍ରତିଷ୍ଠାତାଙ୍କ ସମ୍ବନ୍ଧରେ ଏକ ରୋଚକ ତଥ୍ୟ ଶୁଣିବାକୁ ମିଳେ । ଏହି ଗ୍ରାମର ପ୍ରତିଷ୍ଠାତା ତଥା ଯାହାଙ୍କୁ ମୂଳ ପୁରୁଷର ଆଖ୍ୟା ଦିଆଯାଏ, ତାଙ୍କ ନାମ ହାଡ଼ି ନାଏକ । ତାଙ୍କ ପୂର୍ବଜଙ୍କୁ ଆକଳନ କରାଯିବା ସମ୍ଭବପର ହେଉନଥିବା ବେଳେ ମୂଳ ପୁରୁଷ ହାଡ଼ି ନାଏକ ତାଙ୍କ କନିଷ୍ଠ ଭ୍ରତା ଗୋବିନ୍ଦ ନାଏକଙ୍କ ସହ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତ୍ରିପାଟଣାରୁ ଆସି ସମୟକ୍ରମେ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ଖଡ଼ିଆଳ ନିକଟବର୍ତ୍ତୀ ଡୁଆଝର ଓ ଖୁଦପେକ (ସଂପତି ନୂଆପଡ଼ା ଜିଲା ଅନ୍ତର୍ଗତ) ଗ୍ରାମରେ ବସବାସ କଲେ । ହାଡ଼ି ନାଏକ ଭଗବତ୍ ବିଶ୍ବାସୀ ତଥା ଜଣେ ଧର୍ମପୁରୁଷ ଗୁଣୀଜ୍ଞାନୀ ବ୍ୟକ୍ତିବିଶେଷ ଥିଲେ । କେଉଁ ସମୟରେ ଓ କେଉଁ ସ୍ଥାନରେ ବସବାସ କରୁଥିବା ବେଳେ ଏସବୁ ତାଳପତ୍ର ପୋଥିର ରଚନା କରାଯାଇଛି ତାହାର ସଠିକ୍ ପ୍ରମାଣ ପ୍ରାପ୍ତ ହେଉ ନଥିଲେ ହେଁ ଏସବୁ କଳିଙ୍ଗରେ ସୂର୍ଯ୍ୟବଂଶୀ ରାଜା ପୁରୁଷୋତ୍ତମ ଦେବଙ୍କ ରାଜୁତି ସମୟରେ ଯେ ହାଡ଼ି ନାଏକଙ୍କ ଦ୍ବାରା ରଚିତ ତାହା ତାଙ୍କ ସ୍ବରଚିତ ବିଭିନ୍ନ ପୋଥିରେ ପ୍ରସଙ୍ଗକ୍ରମେ ଉଦ୍‌ଭାସିତ । ସମୟ ସ୍ରୋତରେ ପ୍ରବାହମାନ ଏହି ଭାତଦ୍ବୟ ଡୁଆଝର ଓ ଖୁଦପେଜରେ କିଛି କାଳ ଅତିକାନ୍ତ କଲାପରେ କୌଣସି କାରଣ ବଶତଃ ସ୍ଥାନାନ୍ତରିତ ହୋଇ ଓଡ଼ିଶା-ମଧ୍ୟପ୍ରଦେଶ ସୀମାବର୍ତ୍ତୀ ଅଂଚଳ ବଜାଡ଼ି ଓ ଚିଚିଆ ଗ୍ରାମ (ସଂପ୍ରତି ଛତିଶଗଡ଼ ରାଜ୍ୟ ଅନ୍ତର୍ଭୁକ୍ତ)ରେ ବସତି ସ୍ଥାପନ କଲେ । ହାଡ଼ି ନାଏକ ବଜାଡ଼ି ଗ୍ରାମରେ ବସବାସ କରୁଥିବା ସମୟରେ ଏକ ଅଘଟଣ ଘଟିଥିଲା । ସେତେବେଳେ କୌଣସି ଧାତୁ ବା କାଠ ନିର୍ମିତ ବାକ୍ସର ପ୍ରଚଳନ ନ ଥିବା ଯୋଗୁଁ ସମସ୍ତ ମୂଲ୍ୟବାନ ବସ୍ତୁକୁ ବାଉଁଶ ଟୋକେଇ (ଝାପି)ରେ ସାଇତି ରଖାଯାଉଥିଲା । ହାଡ଼ି ନାଏକ ମଧ୍ୟ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ସମେତ ସ୍ବରଚିତ ମୂଲ୍ୟବାନ ତାଳପତ୍ର ପୋଥି ସମୂହକୁ ଏକ ବାଉଁଶ ଟୋକେଇରେ ରଖିଥିବା ବେଳେ ଏକଦା ଚୋରମାନେ ସେହି ବାଉଁଶ ଟୋକେଇରେ ମୂଲ୍ୟବାନ ପଦାର୍ଥ ସହ ଟଙ୍କା ସୁନା ଗଚ୍ଛିତ ଥିବା ଅନୁମାନ କରି ଚୋରାଇ ନେଇ ଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ଅଦରକାରୀ ବସ୍ତୁ ଭାବି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଛାଡ଼ି ଦେଇଥିଲେ । ମୂଲ୍ୟବାନ ଗ୍ରନ୍ଥ ସମୂହର ଚୋରିରେ ବିଚଳିତ ହୋଇ ଭାତୃଦ୍ବୟ ଅନେକ ଖୋଜା ଖୋଜି ପରେ ଶେଷରେ ନିକଟସ୍ଥ ଦାରାଗାଙ୍କ ଠାରେ ଫେରାଦ୍ ହୋଇ ଚୋରି ସଂପର୍କିତ ଲିଖିତ ସୂଚନା ପ୍ରଦାନ କରିଥିଲେ କିନ୍ତୁ କୌଣସି ସୁଫଳ ମିଳି ପାରିନଥିଲା । ଗ୍ରୀଷ୍ମଋତୁରେ ସାଧାରଣତଃ ଜଙ୍ଗଲ ପୋଡ଼ି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯଦ୍ବାରା ଜଙ୍ଗଲରେ ପଡିତ ଶୁଖା ଡାଳପତ୍ର ପୋଡ଼ି ସମଗ୍ର ଜଙ୍ଗଲକୁ ଅଗ୍ନୀ ଗ୍ରାସ କରିଯାଇଥାଏ । ଏମାନେ ବସବାସ କରୁଥିବା ନିକଟବର୍ତ୍ତୀ ଇନ୍ଦାକୋବା ଜଙ୍ଗଲ ମଧ୍ୟ ସେହି ସମୟରେ ଅଗ୍ନୀକୋପରୁ ବର୍ଷୀ ନଥିଲା । ସମଗ୍ର ଜଙ୍ଗଲ ଅଗ୍ନୀକୋପରେ ଜରାଜୀର୍ଣ ହୋଇ ସାରିଥିବା ବେଳେ ବର୍ଷାର ଆଗମନରେ ବୃଦ୍ଧିଗତ ଅଭ୍ୟାସ ବଶତଃ ନିକଟସ୍ଥ ଗୋପାଳକ ମାନେ ଗାଇଚାରାଇବାକୁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ଏକ ଅପ୍ରାକୃତିକ ଦୃଶ୍ୟ ଦେଖି ଚକିତ ହୋଇ ଯାଇଥିଲେ ।


 ଜଙ୍ଗଲର ଅଧିକାଂଶ ଅଂଚଳ ନିଆଁଝାସରେ କଳାପଡ଼ି ଯାଇଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ସବୁଜ ଘାସ ଲତା ପରିବେଷ୍ଟିତ ହୋଇ ମନେ ହେଉଥିଲା ଯେପରି ବସନ୍ତର ପ୍ରଥମ ପଦଚିହ୍ନ ସେଠାରେ ଦୃଶ୍ୟମାନ । ଗୋପାଳକମାନେ କୌତୁହଳ ବଶତଃ ସେଠାକୁ ଯାଇ ସେଠାରେ ଏକ ବାଉଁଶ ଟୋକେଇରେ ଅକ୍ଷତ ଅବସ୍ଥାରେ ତାଳପ‌ତ୍ର ପୋଥିମାନ ବିଦ୍ୟମାନ ଥିବା ଆବିଷ୍କାର କରିଥିଲେ । କରାଳ ଅଗ୍ନୀ ଓ ଋତୁଚକ୍ରର କୌଣସି ପ୍ରଭାବ ଉକ୍ତ ପୋଥି ସମୂହକୁ ତିଳେ। ମାତ୍ର କ୍ଷତି ସାଧନ କରି ନଥିବା ସ୍ପଷ୍ଟ ଜଣାପଡ଼ୁ ଥିଲା । ଏଥିରୁ ଏହି ପୋଥି ସମୂହ ଯେ କେତେ ଦିବ୍ୟ ଶକ୍ତିର ଅଧିକାରୀ ତାହା ସହଜେ ଅନୁମେୟ । ବିଜୁଳି ବେଗରେ ପ୍ରଚାରିତ ଏହି ଖବର ଶୁଣି ଭାତୃଦ୍ବୟ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତୁରନ୍ତ ଜଙ୍ଗଲ ମଧ୍ୟକୁ ଯାଇ ଦିବ୍ୟଶକ୍ତି ସଂପନ୍ନ ସେହି ହୃତ୍ ପୋଥି ସମୂହକୁ ଉଦ୍ଧାର କରି ଆଣିଥିଲେ ହେଁ ମାନସିକ ବେଦନା କାରଣରୁ ସେହି ସ୍ଥାନ ପରିତ୍ୟାଗ କରି ଦେଭୋଗ ନିକଟସ୍ଥ କରଚିଆ ଓ ଗୋଏକେଲାକୁ ନିଜ ବାସସ୍ଥାନ ସ୍ଥାନାନ୍ତରଣ କରିଥିଲେ । ଭାତୃଦୟ ସମୟକ୍ରମେ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର ହେଉଥିବା ବେଳେ ସେମାନେ ବସବାସ କରୁଥିବା ସ୍ଥାନଗୁଡ଼ିକ ଏକକାଳୀନ ଦୁଇଟି ଗ୍ରାମ ହେଉଥିବାରୁ ଏକ ସମୟରେ ଦୁଇ ଭାଇ ଦୁଇଟି ଗ୍ରାମରେ ବସବାସ କରୁଥିବା ଉପରୋକ୍ତ ତଥ୍ୟାବଳୀରୁ ଅନୁମାନ କରାଯାଏ । ସେହିକ୍ରମରେ ହାଡ଼ି ନାଏକ କରଚିଆରେ ବାସ କରୁଥିବା ବେଳେ ଶକ୍ତି ସାଧନା ପୂର୍ବକ ଗ୍ରାମର ନାମ ଅନୁସାରେ ଗ୍ରାମଦେବୀ ପ୍ରତିଷ୍ଠା କରି ମା କରଚିଏନ୍ ବୁଢ଼ୀ ନାମକରଣ କରିଥିବା ବେଳେ ଅନୁଜ ଗୋବିନ୍ଦ ଗୋଏକେଲା ଗ୍ରାମରେ ତଦନୁସାରେ ଗ୍ରାମଦେବୀ ପ୍ରତିଷ୍ଠା କରି ମା ଗୋଏକେଲେନ୍‌ ବୁଢ଼ୀ ନାମକରଣ କରି ବିଧି ଅନୁସାରେ ପୂଜାର୍ଚ୍ଚନା କରି ଆସୁଥିଲେ । ଯାହାରପ୍ରତିଫଳନ ସଂପ୍ରତି କେବଡ଼ି ଓ ଥନଟ ଗ୍ରାମରେ ଦେଖାଯାଏ । ବିଧିର ବିଧାନ ହେଉ ବା ଉପଯୁକ୍ତ ସ୍ଥାନାଭାବରୁ ନୂତନ ସ୍ଥାନ ଅନ୍ବେଷଣର ସନ୍ଧାନରେ ହେଉ ଭାତୃଦ୍ବୟଙ୍କ ସ୍ଥାନାନ୍ତରଣ ଯାତ୍ରା ଆବ୍ୟାହତ ରହିଥିଲା । ସେହି ଧାରାରେ ପରିଚାଳିତ ହୋଇ ପୁନଃ ଏକ ନୂତନ ସ୍ଥାନର ଅନ୍ବେଷଣରେ ସେମାନେ ପହଞ୍ଚି ଥିଲେ ବର୍ତ୍ତମାନର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବେହେରାଗୁଡ଼ା ଓ ଖମାରହଳଦୀ ଗ୍ରାମରେ  ସମର୍ଥ ହୋଇଥିବା ସୂଚନା ପାଇ ତ‌ତ୍‌କାଳୀନ କଳାହାଣ୍ଡି ରାଜ୍ୟର ମହାରାଜା ରାଜଦ୍ବୟଙ୍କୁ ଡକାଇ ବେହେରାଗୁଡ଼ା ଓ ଖମାରହଳଦୀ ଗ୍ରାମ ପରିବର୍ରେ ବର୍ତମାନ ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ନିଲିନ୍ଦିଲା ଓ ଅନଟ ଗ୍ରାମରେ ବସବାସ କରି ବସତିସ୍ଥାପନ କରିବାକୁ ଆଦେଶ ପ୍ରଦାନ କରିଥିଲେ । ମହାରାଜାଙ୍କ ଆଦେଶକୁ ଶିଲୋଧାର୍ଯ୍ୟ ମନେ କରି ଭାତୃଦ୍ୱୟ ପୁଣି ସ୍ଥାନାନ୍ତର କରି ଜ୍ୟେଷ୍ଠଭ୍ରାତା ହାଡ଼ି ନାଏକ ଚିଲିଚିଲା ଗ୍ରାମରେ ଓ କନିଷ୍ଠ ଭ୍ରାତା ଗୋବିନ୍ଦ ନାଏକ ଥନଟ ଗ୍ରାମରେ ସ୍ଥାୟୀ ବାସିନ୍ଦା ହୋଇ ଦସବାସ କରିବାକୁ ଯୋଜନା କଲେ । ଗୋବିନ୍ଦ ନାଏକ ଥନଟ ଗ୍ରାମରେ ନିଜର ସଂସାର ସୁଖର ସହିତ ଚଳାଇ ନେବାକୁ ସକ୍ଷମ ହୋଇ ପାରିଲା ବେଳକୁ ହାଡ଼ି ନାଏକ କିନ୍ତୁ ଚିଲିଚିଲା ଗ୍ରାମରେ ଶାଢିରେ ବସବାସ କରି ପାରିଲେ ନାହିଁ । ନାନାଦି ଅଶୁଭ ସଂକେତ ଓ ଆଶଙ୍କା ମଧ୍ୟରେ ପିଡ଼ିତ ହୋଇ ଶେଷରେ ହାଡ଼ି ନାଏକ ଚିଲିଚିଲାର ଦକ୍ଷିଣରେ ଅବସ୍ଥିତ କେବଡ଼ାପଦର ଜଙ୍ଗଲକୁ ଚାଲିଆସି ଜଙ୍ଗଲ ସଫାକରି ବସବାସ ଉପଯୋଗୀ କରିବା ସହ ସେଠାରେ ବସତି ସ୍ଥାପନ କଲେ, ଯାହା କାଳକ୍ରମେ କେବଡ଼ି ଗ୍ରାମ ଭାବେ ନାମିତ ହେଲା । ଏଠି ଆରମ୍ଭ ହେଲା ତାଙ୍କ ସୁଖଦ ସାଂସାରିକ ଜୀବନ । ହାଡ଼ି ନାଏକ ଦୁଇଟି ପତ୍ନୀ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ଗର୍ଭରୁ ଦୁଇ ସନ୍ତାନ ଯଥା-କଟକ ନାଏକ ଓ ଭୀମା ନାଏକ ଜନ୍ମ ଗ୍ରହଣ କରିଥିବାବେଳେ ଦ୍ବିତୀୟ ପତ୍ନୀଙ୍କ ଗର୍ଭରୁ ରତୀ ନାଏକ ଓ ମତୀ ନାଏକ ଜନ୍ମ ନେଇ ହାଡ଼ି ନାଏକଙ୍କ ବଂଶ ବିସ୍ତାର କରିବାକୁ ସମର୍ଥ ହୋଇଥିଲେ । ଯାହାର ଅତିକାୟ ପରିବ୍ୟାପ୍ତ ରୂପ ସଂପ୍ରତି କେବଡ଼ି ଗ୍ରାମର ସ୍ଥାୟୀ ବାସିନ୍ଦା ରୂପକ ବଂଶଧର ସମୂହ। ଜ୍ୟେଷ୍ଠଭ୍ରାତା ହାଡ଼ି ନାଏକଙ୍କ ଉତ୍ତରାଧିକାରୀମାନେ ସଂପ୍ରତି କେବଡ଼ି ଗ୍ରାମରେ ବସବାସ କରି କୂଳଦେବୀ ଭାବେ ପ୍ରତିଷ୍ଠିତ ମା କରଚିଏନ୍ ବୁଢ଼ୀଙ୍କ ଶରଣାପନ୍ନ ହୋଇ ଜୀବନ ଅତିବାହିତ କରି ଆସୁଛନ୍ତି । ସେହିପରି କନିଷ୍ଠ ଭ୍ରାତା ଗୋବିନ୍ଦ ନାଏକଙ୍କ ଉତ୍ତରାଧିକାରୀମାନେ ମଧ୍ୟ ଥନଟ ଗ୍ରାମରେ ମାଁ ଗୋଏକେଲେନ୍‌ବୁଢ଼ୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ ସୁଖି ଜୀବନ ଯାପନ କରିବା ସହ କେବଡ଼ି ଗ୍ରାମ ସହ ଭାତୃତ୍ବ ଭାବର ଏକ ଅନନ୍ୟ ଉଦାହରଣ ପ୍ରଦର୍ଶନ କରି ଆସୁଛନ୍ତି ।‘“ମା’ଚାରିଶହ ଚଉରାଅଶି”ଇଷ୍ଟଦେବୀ ଭାବେ ଉଭୟ ନାଏକ ପରିବାରଙ୍କ ବଂଶଧରଙ୍କ ଦ୍ବାରା ସେହି ଅନାଦି କାଳରୁ ପୂଜା ପାଇ ଆସୁଛନ୍ତି । ଏହି ବଂଶର କୌଣସି ଏକ ଉତ୍ତରାଧିକାରୀ ତାଙ୍କ ଭଣଜା ଗଦାଧର ନବରଙ୍ଗପୁରିଆଙ୍କୁ ଆଣି କେବଡ଼ି ଗ୍ରାମରେ ସ୍ଥାୟୀଭାବେ ବସବାସ କରାଇବାର ସମସ୍ତ ସୁବିଧା ଉପଲବ୍ଧ କରାଇଥିଲେ।


 ସଂପ୍ରତି ସେହି ନବରଙ୍ଗପୁରିଆ ବଂଶଧରମାନଙ୍କ ପରିବାର ବିସ୍ତାରିତ ହୋଇ ନିଜସ୍ବ କୁଳଦେବୀ ମହାନପୁରେନଙ୍କ ଛତ୍ରଛାୟା ତଳେ ବନ୍ଧୁ ପରିବାର ଭାବେ ସୌହାର୍ଯ୍ୟପୂର୍ଣ ପରିବେଶରେ ନାଏକ ପରିବାର ସହ ଚଳିଆସୁଛନ୍ତି । ସେହି ସମୟରେ ମନ୍ଦିର ତୋଳା ଅପେକ୍ଷା ଜଳାଶୟ ଖନନ ଓ ଆମ୍ରବଣ ପ୍ରତିଷ୍ଠାକୁ ଅଗ୍ରାଧିକାର ଦିଆଯାଉଥିଲା । ହାଡ଼ି ନାଏକ ଓ ତାଙ୍କ ଉତ୍ତରାଧିକାରୀମାନଙ୍କ ଦ୍ବାରା କୋଡ଼ିଏ ଏକର ରୁ ଉର୍ଦ୍ଧ୍ବ ଅଞ୍ଚଳ ବିଶିଷ୍ଟ ବିଶାଳକାୟ ଜଳାଶୟମାନ ଖନନ କରାଇଛନ୍ତି । ମହାଭାରତ ଆୟୋଜନ କରାଯାଉଥିବା ପୁରୁବନ୍ଧ, ଜିହିଲିବନ୍ଧ, ସିଆଲିକନାବନ୍ଧ ଓ କୁର୍ଲାବନ୍ଧ ତନ୍ମଧ୍ୟରୁ ଅନ୍ୟତମ । ସେହିପରି ନବରଙ୍ଗପୁରିଆଙ୍କ ବଂଶଧରଙ୍କ ପ୍ରତିଷ୍ଠାତା ଗଦାଧରଙ୍କ ନାମରେ ଗଦାସାଗର ନାମରେ ଏକ ବିରାଟ ଜଳାଶୟ ତାଙ୍କ ଉତ୍ତରାଧିକାରୀଙ୍କ ଦ୍ବାରା ଖନନ କରାଯାଇଛି । ସେହିପରି ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କ ଦ୍ବାରା ଆମ୍ରବଣର ସଂରଚନା ମଧ୍ୟ ଦେଖିବାକୁ ମିଳେ । ପ୍ରାୟ ତିନିଶହ ବର୍ଷ ତଳେ ହାଡ଼ି ନାଏକଙ୍କ କେଉଁ ଏକ ଉତ୍ତରାଧିକାରୀ ଦମ୍ପତି ସଂପ୍ରତି ଆୟୋଜିତ ହେଉଥିବା ପୁରୁବନ୍ଧ ସ୍ଥିତ ମହାଭାରତ ପାରାୟଣ ମହାଯଜ୍ଞ ସ୍ଥାନରେ ରାମାୟଣ ପାରାୟଣ ଆୟୋଜନ କରିଥିଲେ । ସେହି ସ୍ମୃତିର ପୁନରାବୃଦ୍ଧି ସ୍ବରୂପ ଏହି ମହାଭାରତ ପାରାୟଣ ମହାଯଜ୍ଞର ଆୟୋଜନ ବୋଲି ଆୟୋଜକମାନଙ୍କ



ହାତି ନାଏକଙ୍କ ଦ୍ବାରା ରଚିତ ପୋଥି ସମୂହ ମଧ୍ୟରେ ମହାଭାରତ, ରାମାୟଣ ଓ ଦଶ ମହାବିଦ୍ୟା ସଂପର୍କିତ ସର୍ବମୋଟ ୪୮ଟି ପୋଥି ଅନ୍ତର୍ଭୁକ୍ତ । ଏସବୁ ପୋଥକୁ ତାଙ୍କ ଉତ୍ତରାଧିକାରୀମାନେ କୂଳଗ୍ରନ୍ଥ ଭାବେ ଯଥୋଚିତ ରକ୍ତିର ସହିତ ସଂରକ୍ଷିତ ରଖି ପୂର୍ବପୁରୁଷମାନଙ୍କ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶାନୁଯାୟୀ ପୂଜାର୍ଚ୍ଚନା କରିବା ସହ ବିଧି ଅନୁଯାୟୀ ଉପଚାର କରିଆସୁଛନ୍ତି । ଏହି ପୋଥିକୁ ସାଧାରଣ ଭାବେ ପଠନ କରାଯାଇପାରେ ନାହିଁ । କୌଣସି କୁଳ ସଦସ୍ୟ ନିଷ୍ଠାର ସହିତ ଆଜ୍ଞା ନେଇ ନିର୍ଦିଷ୍ଟ ଦିନରେ ଏହା ପଠନ କରନ୍ତି କିମ୍ବା କୁଳ ପୁରୋହିତ ଭାବେ ଯାହାକୁ ଆଜ୍ଞା ମିଳିଥାଏ ସେମାନେ ହିଁ ପଠନ କରିପାରନ୍ତି ।


କେବଡ଼ି ଓ ଥନଟ ଗ୍ରାମରେ ବାସକରୁଥିବା ନାଏକ ବଂଶଧର ମାନଙ୍କ ମଧ୍ୟରେ ଏକ ଅନନ୍ୟ ଭାତୃତ୍ବଭାବ ଏବେବି ଏକ ପରମ୍ପରା ଭାବେ ବଞ୍ଚି ରହିଛି । ଜ୍ୟେଷ୍ଠ ଭ୍ରାତାଙ୍କ ନିଧନ ପରେ ଥନଟବାସୀ କନିଷ୍ଠ ଭ୍ରାତା ତାଙ୍କ ଜ୍ୟେଷ୍ଠ ଭ୍ରାତାଙ୍କ ପୁତ୍ରଙ୍କୁ ନୂଆଖାଇବା ପାଇଁ ଥନଟ ଆସିବାକୁ ଆମନ୍ତ୍ରଣ କରିଥିଲେ । ପୁତୁରା ମଧ୍ୟ କାକାଙ୍କ ନିମନ୍ତ୍ରଣକୁ ସସମ୍ମାନେ ସ୍ବୀକାର କରି ଧାର୍ଯ୍ୟ ଦିବସରେ ନୂଆଚୁଡ଼ା, ନୂଆଫଳ ପ୍ରଭୃତି ଧରି ଥନଟ ଯାଇ ସେଠାରେ ନୂଆଖାଇଥିଲେ । ସେହି ଦିନ ଠାରୁ ଏହା ଏକ ପରଂପରା ଭାବେ ବିଧିବଦ୍ଧ ଭାବେ ପାଳିତ ହୋଇ ଆସୁଅଛି । କେବଡ଼ି ଗ୍ରାମ ମୁଖିଆଙ୍କ ଘରୁ ନୂଆ ଧାନ ଓ ଭୋଗ ସାମଗ୍ରୀ ଥନଟ ଗ୍ରାମ ମୁଖୁଆଙ୍କ ଘରକୁ ଯାଇ କୁଳଦେବୀ ଓ ଇଷ୍ଟଦେବୀଙ୍କ ଠାରେ ପୂଜା ହେଲେ ହେଁ ଦୁଇଗ୍ରାମର ନାଏକ ପରିବାର ଓ ଗ୍ରାମବାସୀ ନବାନ୍ନ ଭକ୍ଷଣ କରିଥାନ୍ତି ।


ସଂପ୍ରତି ଏହି ବଂଶଧର ମାନଙ୍କ ଦ୍ବାରା ଆୟୋଜିତ ମହାଭାରତ ପାରାୟଣ ମହାଯଜ୍ଞ ଭାତୃତ୍ବଭାବ ପ୍ରଦର୍ଶନର ଅନ୍ୟତମ ନିଦର୍ଶନ । କେବଡ଼ି ଗ୍ରାମର ଆବାଳବୃଦ୍ଧ ବନିତାଙ୍କ ଅହୋରାତ୍ର ପରିଶ୍ରମ, ନିଷ୍ଠା ଓ ସମର୍ପଣ ଭାବ ପ୍ରକୃତରେ ଉଦାହରଣ ସାପେକ୍ଷ । ମହାଭାରତ ପାରାୟଣ ଉପଲକ୍ଷେ ଆୟୋଜିତ କୁଣ୍ଡାବୋରୀ ଠାରୁ ଆରମ୍ଭ କରି ମୁଣ୍ଡନ, ଅନ୍ନପ୍ରାଶନ, କର୍ତମନ୍ତ୍ର ପ୍ରଦାନ ଭଳି ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଏହି ପାରାୟଣର ମର୍ଯ୍ୟାଦାକୁ ଦ୍ବିଗୁଣିତ କରୁଥିବା ବେଳେ ମାସବ୍ୟାପୀ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବ୍ୟବସ୍ଥିତ ଉପାୟରେ ଅନ୍ନପ୍ରସାଦ ବଣ୍ଟନ ପାଇଁ ଦାତା ଓ ଆୟୋଜକ ମଣ୍ଡଳୀ ତଥା ସ‌ହ‌ଯୋଗୀ ମାନେ ଧନ୍ୟବାଦର ପାତ୍ର । ଉପଯୁକ୍ତ ଉତ୍ତରାଧିକାରୀ ଭାବେ କର୍ଷା ଦମ୍ପତିଙ୍କ କାର୍ଯ୍ୟ ନିର୍ବାହ, ସହଯୋଗୀ ଭାବେ ଆୟୋଜନକାରୀ ସମସ୍ତ ସଦସ୍ୟଙ୍କ ନିଷ୍ଠା, କାର୍ଯ୍ୟ ସଂପାଦନକାରିତା ଓ ସମର୍ପିତ ମନୋଭାବ ନିଶ୍ଚିତ ରୂପେ ଆଦ୍ୟ ପୁରୁଷ ହାଡ଼ି ନାଏକଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରୁଥିବ ।


ମହାଭାରତ ପାରାୟଣର ପୂଜକ ମଣ୍ଡଳୀ ଏହି ପୁରୁବନ୍ଧକୁ ଏକ ତୀର୍ଥକ୍ଷେତ୍ରର ମାନ୍ୟତା ଦେବାରେ ଅକ୍ଳାନ୍ତ ନିଷ୍ଠା ପ୍ରଦର୍ଶନ କରିଥିବା ବେଳେ ବ୍ୟାସଦେବ ଚରିତ୍ର ନିର୍ବାହକାରୀ ଅଠରଖଣ୍ଡ ମହାଭାରତକୁ ପ୍ରାଞ୍ଜଳ ଭାବେ ଶ୍ରଦ୍ଧାଳୁ ଶ୍ରୋତା ମଣ୍ଡଳୀଙ୍କ କଣ୍ଠ ପବିତ୍ର କରାଇ ପାରିଛନ୍ତି । ଏହି କ୍ରମରେ କୁଳପୁରୁଷ ହାଡ଼ି ନାଏକଙ୍କ ସ୍ମୃତିଚାରଣ ପାଇଁ ଏହି ଲେଖାଟି ତାଙ୍କ ପ୍ରତି ତାଙ୍କ ଉତ୍ତରାଧିକାରୀମାନଙ୍କ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନର ଏକ କ୍ଷୁଦ୍ରତମ ଉପକ୍ରମ । ଅଭିଜ୍ଞତାସଂପନ୍ନ, ବୟୋବୃଦ୍ଧ ଉତ୍ତରାଧିକାରୀମାନଙ୍କ ମୁଖନିଶୃତ ବାଣୀରୁ ଉପରୋକ୍ତ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ କୁଳପୁରୁଷଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ତଥ୍ୟାବଳୀ ସଂପୂର୍ଣ ନିର୍ଭୁଲ ବୋଲି ଆମର ଦାବୀ ନୁହେଁ, ବରଂ ଏଭଳି ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ଅନେକ ଗୁଢ଼ ତ‌ଥ୍ୟ ଲୋକ ଲୋଚନକୁ ଆସି ପାରିଲେ ଆଗାମୀ ପିଢ଼ି ପାଇଁ ଉପଯୋଗୀ ହେବେ ବୋଲି ଆଶା ପ୍ରକାଶ କରୁଛୁ ।


ରାଜେଶ 

Comments